1 | ସଂସ୍କୃତି, ଜଗତୀକରଣ ଓ ରାଜନୀତିକ ସଂଗଠନ | 01-04 |
Author(s): ବିଜୟଲକ୍ଷ୍ମୀ ଦାଶ |
Abstract ଆର୍ଥନୀତିକ ଓ ଜ୍ଞାନଭିତ୍ତିକ ସଂଚାର ବିଦ୍ୟାର ବିକାଶ ଓ ପରିପୋଷଣ ଯୋଗୁଁ ପ୍ରାୟ ଦୁଇ/ତିନି ଦଶନ୍ଧି ହେବ ପୃଥିବୀରେ ବିରାଟ ପରିବର୍ତ୍ତନର ସୂତ୍ରପାତ ହୋଇଛି । ଏ ସଂକ୍ରାନ୍ତରେ ଚର୍ଚ୍ଚା ମଧ୍ୟ ବେଶ୍ ଘନ । ଜନସାଧାରଣଙ୍କ ଜୀବନଧାରଣ ମାନରେ ବ୍ୟାପକ ଓ ମୌଳିକ ପରିବର୍ତ୍ତନ ଦେଖାଦେଇଛି । ଜ୍ଞାନବିଜ୍ଞାନର ପରିମଣ୍ଡଳ ବିସ୍ତୃତ ହୋଇଛି । ନିର୍ଦ୍ଦିଷ୍ଟ ଏକ ଅଞ୍ଚଳର ପ୍ରଗତି ସେହି ଅଂଚଳ ଭିତରେ ସୀମାବଦ୍ଧ ହୋଇ ରହୁନାହିଁ । ବିଶ୍ୱର ଅନେକ ଅଜ୍ଞାତ ତଥ୍ୟ, ସମାଜର ବିକାଶ, ପରିବର୍ତ୍ତିତ ସାଂସ୍କୃତିକ ମୂଲ୍ୟବୋଧ ସଂପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି । ମଣିଷ ମଣିଷ ମଧ୍ୟରେ ବ୍ୟବଧାନର ସୀମାରେଖା ହଟିଯାଇଛି । ଆମ୍ଭେମାନେ ପରସ୍ପର ପରସ୍ପର ସହିତ ସଂଯୋଜିତ ହୋଇଛେ । ଏହାଦ୍ୱାରା ପୃଥିବୀର ପରିସୀମା ସଂକୁଚିତ ହୋଇଛି । ଏହି ସଂକୁଚିତ ପୃଥିବୀ ଭିତରେ ଉତ୍ପାଦିତ ସଂପଦର ରହସ୍ୟକୁ ଖୋଜିବାରେ ଆଜିର ଉତ୍ପାଦନ ସାମଗ୍ରୀ ଯେ ପ୍ରଭାବିତ ହୋଇଛି ତା’ ନୁହେଁ, ବରଂ ବିପଣନ ସାମଗ୍ରୀ ଏବଂ ସେବା ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି । ତତ୍ସହିତ ଏହି ବ୍ୟବସ୍ଥା ସହିତ ଖାପଖୁଆଇ ଚାଲିବା ପାଇଁ ରାଜନୀତିକ ସଂରଚନା ଓ ସାମର୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଛି । ଆଲୋଚ୍ୟ ସମୀକ୍ଷାରେ ଜଗତୀକରଣ ଓ ରାଜନୀତିକ ସଂଗଠନ ସଂସ୍କୃତି ଉପରେ କି ପ୍ରଭାବ ପକାଉଛି ସେ ସଂପର୍କରେ ଆଲୋଚନା କରାଯାଇଛି । Citation By: DOP: 31-12-2019 |
2 | ଓଡିଶାର ଆଦିବାସୀ ଓ ମିତାନ ଗୋଷ୍ଠୀ: ସାମାଜିକ ସାଂସ୍କୃତିକ ପ୍ରତିନିଧି | 05-13 |
Author(s): ସଞ୍ଜୟ କୁମାର ବାଗ |
Abstract ଓଡିଶାରେ ୬୨ ପ୍ରକାରର ଆଦିବାସୀ ବସବାସ କରୁଛନ୍ତି । ସେ ମଧ୍ୟରୁ ସାନ୍ତାଳୀ, ମୁଣ୍ଡାରୀ, ଭୁଞ୍ଜିଆ, ବଣ୍ଡା, ହୋ, ଗାଦବା ଭଳି କେତେକ ଆଦିବାସୀ ଗୋଷ୍ଠୀର ସ୍ୱତନ୍ତ୍ର ଭାଷା ଅଛି । ସେହିପରି, ସମସ୍ତ ଆଦିବାସୀ ଗୋଷ୍ଠୀର ସ୍ୱତନ୍ତ୍ର ସଂସ୍କୃତି ଅଛି । ସଂସ୍କୃତି ପ୍ରତ୍ୟେକ ଗୋଷ୍ଠୀ ପାଇଁ ସେମାନଙ୍କ ପରିଚିତିର ସ୍ୱରୂପ । ସାଂସ୍କୃତିକ ଅଧ୍ୟୟନରୁ ଆମେ ସମ୍ପୃକ୍ତ ଗୋଷ୍ଠୀର ଜୀବନଧାରା, ରୀତିନୀତି, ବିଚାରବୋଧ, ବିଶ୍ୱଦୃଷ୍ଟି ସମ୍ପର୍କରେ ଅବଗତ ହୋଇଥାଉ । ଏହି ପ୍ରବନ୍ଧରେ ଆଦିବାସୀ ଓ ମିତାନ୍ ଗୋଷ୍ଠୀର ସାମାଜିକ ସାସ୍କୃତିକ ପ୍ରତିନିଧି ଓ ଅନୁଷ୍ଠାନ ବିଷୟରେ ସେମାନଙ୍କ ଶୃଙ୍ଖଳିତ କାର୍ଯ୍ୟଧାରା ଓ ବିଭିନ୍ନ କ୍ରିୟାକର୍ମର ପରିବେଷଣ ସମ୍ପର୍କରେ ଆଲୋଚନା କରିବାକୁ ପ୍ରୟାସ କରାଯାଇଛି । Citation By: DOP: 31-12-2019 |
3 | ଓଡ଼ିଆଙ୍କ ପ୍ରାତ୍ୟାହିକ ଜୀବନ ଚର୍ଯ୍ୟାରେ ଭାଗବତର ଆବେଦନ | 14-18 |
Author(s): ଡ. ପ୍ରଦୋଷ କୁମାର ସ୍ୱାଇଁ |
Abstract ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ପରିଚିତ ଜଗନ୍ନାଥ ଦାସଙ୍କ ଭାଗବତ କେବଳ ଯେଏକ ପୁରାଣ ତାହାନୁହଁ ଏହା ଆମ ଜାତୀୟ ସଂସ୍କୃତିର ପ୍ରତୀକ । ଧର୍ମ ଧାରଣାର ଆଶ୍ରୟ, ଓଡ଼ିଆର ଆତ୍ମପରିଚୟ, ସର୍ବୋପରି ଆମ ସାମାଜିକ ଜୀବନର ପ୍ରାଣ ସ୍ପନ୍ଦନ । ଓଡ଼ିଆ ଭାଗବତର ଲୋକପ୍ରିୟତା ପଛରେ ରହିଛି ଏହାର ସର୍ବକାଳୀନ ବ୍ୟବହାରିକ ଗୁଣ । ଜଣ ଠାରୁ ଗଣ, ବ୍ୟକ୍ତି ଠାରୁ ବ୍ୟଷ୍ଟି ପର୍ଯ୍ୟନ୍ତ ଏହି ଭାଗବତ ପ୍ରସରିଯାଇଛି ନିର୍ବିବାଦରେ । ଏଭଳି ଏକ ସର୍ବକାଳୀନ ଓ ସାର୍ବଜନିନ ସୃଷ୍ଟି ସମ୍ଭାର ମଧ୍ୟରେ ସନ୍ନିହିତ ପ୍ରୟୋଜନିୟ ବ୍ୟବହାରିକତାକୁ ଅନୁସନ୍ଧାନ କରିବା ଏହି ପ୍ରବନ୍ଧର ମୂଳ ଲକ୍ଷ୍ୟ । ଭାଗବତ ଭଳି ଏକ ସାହିତ୍ୟ ବିଷୟକୁ ଭିତ୍ତିକରି ଉକ୍ତ ପ୍ରବନ୍ଧର ପରିକଳ୍ପନା କରାଯାଉଥିବାରୁ ଏଥିରେ ବିଶ୍ଳେଷଣାତ୍ମକ ଗବେଷଣା ପଦ୍ଧତିକୁ ମୁଖ୍ୟତଃ ଗ୍ରହଣ କରାଯାଇଛି । ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏହି ପ୍ରବନ୍ଧର ମୂଳଉତ୍ସ ଭାବେ ଗ୍ରହଣ କରାଯାଇଥିବା ବେଳେ ଏହି ସମ୍ବନ୍ଧୀୟ ସମାଲୋଚନା ଗୁଡ଼ିକୁ ସହାୟକ ଉତ୍ସ ଭାବେ ଗ୍ରହଣ କରାଯାଇଛି । Citation By: DOP: 31-12-2019 |
4 | ହିନ୍ଦୀ-ଓଡ଼ିଆ ସାହିତ୍ୟର ଦୁଇ ସଚ୍ଚିଦାନନ୍ଦ: ଏକ ମୂଲ୍ୟାୟନ | 19-27 |
Author(s): ଡକ୍ଟର ସଂଘମିତ୍ରା ଭଂଜ |
Abstract ଆଧୁନିକ ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ଦୁଇ ପ୍ରଚଣ୍ଡ କବି ତଥା ଶୈଳୀକାର ହେଉଛନ୍ତି ସଚ୍ଚିଦାନନ୍ଦ ହୀରାନନ୍ଦ ବାତ୍ସାୟାନ (ଅଜ୍ଞେୟ) ଏବଂ ସଚ୍ଚିଦାନନ୍ଦ ରାଉତରାୟ । ଉଭୟଙ୍କ କବିତା ଭିତରେ ଚିତ୍ରଶବ୍ଦର ପ୍ରାଚୁର୍ଯ୍ୟ ରହିଛି । ମନୋବିଶ୍ଳେଷଣକୁ ପ୍ରାଧାନ୍ୟ ଦେବା ସହିତ ଅନାସ୍ଥା, ଅହଂ, ଅବିଶ୍ୱାସ, ସମଷ୍ଟିର ଭାବନା, ଆତ୍ମଦହନ, ଋଢ଼ିବିରୋଧୀ ମନୋବୃତ୍ତିକୁ ବିବିଧ ଉପମା, ଚିତ୍ରକଳ୍ପ ଓ ବିଶ୍ୱଧର୍ମୀ ଶବ୍ଦ ମାଧ୍ୟମରେ ଅଭିବ୍ୟକ୍ତ କରିବାରେ ଉଭୟଙ୍କର ଭାବଗତ ସାମ୍ୟ ନିଶ୍ଚିତ ଅଭିନବ । ଉଭୟଙ୍କ ମଧ୍ୟରେ ରହିଥିବା ଅଦ୍ଭୁତ କାବ୍ୟଗତ ଭାବସାମ୍ୟକୁ ଉପସ୍ଥାପନ କରିବା ହିଁ ଏହି ଗବେଷଣାତ୍ମକ ପ୍ରବନ୍ଧର ପ୍ରମୁଖ ଉଦ୍ଦେଶ୍ୟ । Citation By: DOP: 31-12-2019 |
5 | ଚନ୍ଦ୍ରମୋହନ ମହାରଣାଙ୍କ ପ୍ରବନ୍ଧ ସାହିତ୍ୟ: ଏକ ଆକଳନ | 28-32 |
Author(s): ଡକ୍ଟର ଜୟନ୍ତ କୁମାର ଦାସ |
Abstract ଫକୀରମୋହନଙ୍କ ସମସାମୟିକ ବାଲେଶ୍ୱର ମାଟିର ସୁଯୋଗ୍ୟ ସନ୍ତାନ ଚନ୍ଦ୍ରମୋହନ ମହାରଣା । ଚନ୍ଦ୍ରମୋହନ ଆଧୁନିକ ଓଡ଼ିଆ ସାହିତ୍ୟର ଆଦି ପର୍ଯ୍ୟାୟର ଜଣେ ପ୍ରଚଣ୍ଡ ପ୍ରତିଭାସଂପନ୍ନ ସାହିତ୍ୟିକ । ସାହିତ୍ୟର ପ୍ରତ୍ୟେକ ବିଭାଗରେ ସେ ଦକ୍ଷତାର ସହ ଲେଖନୀ ଚାଳନା କରିଛନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟର ଆଦି ପର୍ଯ୍ୟାୟରେ ଲେଖନୀ ଚାଳନା କରିଥିଲେ ହେଁ ଫକୀରମୋହନ, ରାଧାନାଥ ଓ ମଧୁସୂଦନଙ୍କ ଲୋକପ୍ରିୟତା ପାଇଁ ସେ ଲୋକଲୋଚନକୁ ଆସିପାରିନାହାନ୍ତି । ଗୋଟିଏ ଜାତିକୁ ଶିକ୍ଷାର ଆଲୋକରେ ଉଦ୍ଭାସିତ କରିବା ଉଦ୍ଦେଶ୍ୟରେ ପାଠ୍ୟ ପୁସ୍ତକ ପ୍ରଣୟନ କରିବା ସହିତ ଗୋଟିଏ ଭାଷାର ରକ୍ଷାକବଚ ‘ବ୍ୟାକରଣ’ ରଚନା କରି ନିଜର ଅସାମାନ୍ୟ କୃତିତ୍ୱର ପରିଚୟ ଦେଇଛନ୍ତି । ତାଙ୍କ ରଚିତ ଓଡ଼ିଆ ବ୍ୟାକରଣ ପ୍ରଥମ ସୋପାନ ଓ ଦ୍ୱିତୀୟ ସୋପାନ ଓଡ଼ିଆ ସାହିତ୍ୟର ପ୍ରଥମ ମୌଳିକ ବ୍ୟାକରଣର ମର୍ଯ୍ୟାଦା ବହନ କରେ । ବ୍ୟାକରଣରେ ପାଣ୍ଡିତ୍ୟ ଥିବା ଏହି ଯଶସ୍ୱୀ ସାହିତ୍ୟିକଙ୍କ ପ୍ରବନ୍ଧ ରଚନା ଶୈଳୀ ନିୟମଯୁକ୍ତ, ସ୍ୱଚ୍ଛ ଓ ଭାବଗର୍ଭକ । ପରିମାଣାତ୍ମକ ଦୃଷ୍ଟିରୁ ଗଳ୍ପ ଓ କବିତା ତୁଳନାରେ ତାଂକର ପ୍ରବନ୍ଧ ଖୁବ୍ କମ୍ । ସେ ସର୍ବମୋଟ ଏଗାରଟି ପ୍ରବନ୍ଧ ରଚନା କରିଛନ୍ତି । ‘ଉତ୍କଳ ସାହିତ୍ୟ’ ପତ୍ରିକାର ବିଭିନ୍ନ ସଂଖ୍ୟାରେ ତାଂକ ପ୍ରବନ୍ଧମାନ ପ୍ରକାଶିତ ହେଉଥିଲା । ଏହା ସହ ବିଭିନ୍ନ ସାରସ୍ୱତ ସଭାରେ ଯୋଗଦେଇ ଆମ ଭାଷା ଓ ସାହିତ୍ୟର ବିଭିନ୍ନ ଅଭାବ ସଂପର୍କରେ ସେ ସୂଚନା ଦେଉଥିଲେ । ଏହା ମଧ୍ୟ ପ୍ରବନ୍ଧାକାରରେ ପ୍ରକାଶିତ ହେଉଥିଲା । ସ୍ୱଳ୍ପ ପରିମାଣରେ ପ୍ରବନ୍ଧ ରଚନା କରିଥିଲେ ମଧ୍ୟ ତାଂକର ପାଣ୍ଡିତ୍ୟ ଓ ବିଚକ୍ଷଣ ପ୍ରତିଭା ଯୋଗୁଁ ଚନ୍ଦ୍ରମୋହନ ବିଦଗ୍ଧ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ବିଭିନ୍ନ ବିଷୟରେ ତାଂକର ଅଭିଜ୍ଞତା ଓ ପାରଦର୍ଶିତା ଥିଲା । ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜନ୍ମ ଲଗ୍ନରେ ତାଂକର ଏହି ଅନନ୍ୟ ପ୍ରୟାସ ବାସ୍ତବିକ୍ ପ୍ରଶଂସାଯୋଗ୍ୟ । Citation By: DOP: 31-12-2019 |